ପ୍ରମୂଖ ଖବର
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ରାଜଧାନୀର ଏକ ଆପାର୍ଟମେଣ୍ଟରେ ବ୍ୟାପିଲା ଝାଡ଼ାବାନ୍ତି: ୬୦ ଆକ୍ରାନ୍ତ ଚିହ୍ନଟ, ବିଏମ୍‌ସି, ସ୍ୱାସ୍ଥ୍ୟ ବିଭାଗର ଯାଞ୍ଚ

Published By : Prameya | June 15, 2025 11:45 AM

ଭୁବନେଶ୍ୱର,୧୫/୦୬: ରାଜଧାନୀର ଏକ  ଆପାର୍ଟମେଣ୍ଟରୁ ୬୦ ଝାଡ଼ାବାନ୍ତି ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି । ସେମାନେ ବିଭିନ୍ନ ବେସରକାରୀ ଏବଂ  ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୂଷିତ  ପାଣିରୁ ଏହି ସଂକ୍ରମଣ ବ୍ୟାପିଥିବା ସ୍ପଷ୍ଟ ହୋଇଛି ।  ଖବରପାଇ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗର ଏକ ମିଳିତ  ଟିମ୍‌ ଘଟଣାର ଯାଞ୍ଚ କରୁଛନ୍ତି । ସଂଖ୍ୟା ଆହୁରି ବୃଦ୍ଧି  ପାଇବା ଆଶଙ୍କା କରାଯାଉଛି ।  

କଳିଙ୍ଗନଗର ନିକଟ ଏକ ଆପାର୍ଟମେଣ୍ଟରେ  ୫ ଦିନ ତଳେ କିଛି ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ  ହୋଇଥିବା ଜଣାପଡ଼ିଥିଲା । ଏହି ସଂଖ୍ୟା କ୍ରମେ  ବଢ଼ିଥିଲା । ୬୦ରୁ ଅଧିକ ଝାଡ଼ାବାନ୍ତି ଆକ୍ରାନ୍ତ  ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଏଠାରେ  ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ଆପାର୍ଟମେଣ୍ଟ  ବାସିନ୍ଦାଙ୍କ ସଂଘ ସ୍ପଷ୍ଟ କରିଛି । ଊକ୍ତ ଆପାର୍ଟମେଣ୍ଟର  ସଂଘ ସମ୍ପାଦକ ଲୋକନାଥ ସାହୁ ଏବଂ ସହ ସମ୍ପାଦକ  ଅରବିନ୍ଦ ଚୌଧୁରୀ ଜଳ ନମୁନା ସଂଗ୍ରହ କରି  ଆର୍‌ସିଏମ୍‌ଆରରେ ପରୀକ୍ଷା କରିଥିଲେ । ସେଥିରେ  ପାଣି ସଂକ୍ରମିତ ହୋଇଥିବା ଜଣା ପଡ଼ିଥିଲା ।  

ଖବରପାଇ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗର ଏକ  ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦାରଖ କରିଥିଲେ ।  ୱାଟ୍‌କୋ ପକ୍ଷରୁ ଏକ ଟିମ୍‌ ମଧ୍ୟ ସେଠାରେ ଯାଞ୍ଚ  କରିଥିଲେ । ଉକ୍ତ ଆପାର୍ଟମେଣ୍ଟରେ ୧୨୩୬ ଫ୍ଲାଟ୍‌ ଅଛି ।  ପାଖାପାଖି ୫ ହଜାର ଲୋକ ସେଠାରେ ରହୁଛନ୍ତି । ଏଥି  ନିମନ୍ତେ ମୋଟ ୯ଟି ପାଣିଟାଙ୍କି ଏବଂ ସମ୍ପ ରହିଛି ।  ତେବେ ପାଖରେ ଥିବା ଏକ ସ୍ୱେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ  (ଏସ୍‌ଟିପି)ର କାମ ଗତ କିଛି ଦିନ ତଳେ ହୋଇଥିଲା ।  ଏଥିରୁ ନିର୍ଗତ ବର୍ଜ୍ୟପାଣି ପିଇବା ପାଣିରେ ମିଶିଥିବା  ଆଶଙ୍କା କରାଯାଉଛି । ସମସ୍ତ ଟାଙ୍କି ମାଟି ତଳେ ରହିଛି । ଏହି ସବୁ ଟାଙ୍କିକୁ ଠିକ ଭାବେ ପ୍ଲାଷ୍ଟର କରାଯାଇନି ।  ଟାଙ୍କି ନିର୍ମାଣ ମଧ୍ୟ ଗାଇଡ୍‌ଲାଇନ୍‌ ଅନୁସାରେ ହୋଇନି ।  ସେଥିମଧ୍ୟରୁ ଆଇ-ବ୍ଲକ ଟାଙ୍କି ପାଣି ୱାଟ୍‌କୋ ପକ୍ଷରୁ  ଯାଞ୍ଚ କରାଯାଇଥିଲା । ସେଥିରେ ଅତି ଦୂଷିତ ପାଣି ଥିବା  ନେଇ ସ୍ପଷ୍ଟ କରାଯାଇଛି । ଡାକ୍ତର ନୀଳମଣି ସେନାପତି  କହିଛନ୍ତି, ଆମେ ଖବର ପାଇବା କ୍ଷଣି ସେଠାରେ  ଯାଞ୍ଚ କରିଛୁ । ବିଏମ୍‌ସି ଟିମ୍‌ ତଦାରଖ କରୁଛି । ତାଙ୍କ  ରିପୋର୍ଟ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।  

ଖାଲି ଏହି ଆପାର୍ଟମେଣ୍ଟ ନୁହେଁ, ଭୁବନେଶ୍ୱରର  ଅନ୍ୟ କିଛି ଅଞ୍ଚଳରେ ମଧ୍ୟ ଡାଇରିଆ ଓ ଜଣ୍ଡିସ୍‌  ବ୍ୟାପୁଛି । ରାଜଧାନୀ ସ୍ୱାସ୍ଥ୍ୟ ଓ ପରିମଳ ସମ୍ପୂର୍ଣ୍ଣ  ବିଗିଡ଼ି ଯାଇଥିବା ଅଭିଯୋଗ ହୋଇଛି । କିଛିଦିନ  ତଳେ ଖଣ୍ଡଗିରିର ଏକ ଘରୋଇ ସ୍କୁଲରୁ ଡାଇରିଆ  ଆକ୍ରାନ୍ତ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିଲେ । ସେହିପରି  ଚନ୍ଦ୍ରଶେଖରପୁର ବିଡିଏର ଆବାସରେ ମଧ୍ୟ ଅନେକ  ଲୋକ ଝାଡ଼ାବାନ୍ତିର ଶିକାର ହୋଇଥିଲେ । ବର୍ଷା ଦିନ  ଆଗରୁ ସ୍ଥିତି ଅଣାୟତ୍ତ ହେଲାଣି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.