ଢେଙ୍କାନାଳ,୧୪।୬: ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଢେଙ୍କାନାଳରୁ କଟକ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଚକା ରାସ୍ତାରେ ଫାଟିଗଲା । ଅନ୍ୟ ଆମ୍ବୁଲାନ୍ସ ନଥିବାରୁ ପ୍ରାୟ ଦେଢ ଘଣ୍ଟା ଅଟକି ରହିଲେ ଗୁରୁତର ରୋଗୀ । ୫୫ ନଂ ଜାତୀୟ ରାଜପଥ ବଳଦିଆବନ୍ଧ ନିକଟରେ ଏପରି ଅଭିବନୀୟ ଘଟଣା ଘଟିଛି ।
ଡିଙ୍ଗୁଆ ଅଞ୍ଚଳର ରବି ବେହେରା (୪୦) ଶନିବାର ଢେଙ୍କାନାଳ ଆସିଥିଲେ । ସହର ନିକଟ ଭଗବାନପୁର ନିକଟରେ ଏକ ବୁଲେଟ ଧକ୍କା ଦେବାରୁ ଗୁରୁତର ହୋଇଥିଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତର ଥିବାରୁ ଡାକ୍ତର କଟକ ସ୍ଥାନାନ୍ତର କରିଥିଲେ । ୧୦୮ ଆମ୍ବୁଲାନ୍ସରେ କଟକ ଯିବା ବେଳେ ବଳଦିଆବନ୍ଧ ନିକଟରେ ଆମ୍ବୁଲାନ୍ସ ପଛ ଚକା ଫାଟି ଯାଇଥିଲା । ମରାମତି ସମ୍ଭବ ନହେବାରୁ ଅନ୍ୟ ଏକ ଆମ୍ବୁଲାନ୍ସ ପଠାଇବାକୁ ଆମ୍ବୁଲାନ୍ସ ଚାଳକ ଓ ରୋଗୀ ସମ୍ପର୍କୀୟ ଯୋଗାଯୋଗ କରିଥିଲେ ବି ଆମ୍ବୁଲାନ୍ସ ଆସିନଥିଲା । ସାଢେ ୩ଟାରୁ ୫ଟା ପର୍ଯ୍ୟନ୍ତ ଅଟକି ରହିବା ପରେ ବହୁ କଷ୍ଟରେ ଗାଡିଟି ମରାମତି କରି ଯାଇଥିବା ଜଣାଯାଇଛି । ଏତେ ସମୟ ଅଟକି ରହିବା ମଧ୍ୟରେ ପ୍ରଚୁର ରକ୍ତସ୍ରାବ ହୋଇଥିବାରୁ ଜୀବନ ମରଣ ସହ ରୋଗୀ ଓ ସମ୍ପର୍କୀୟ ଛଟପଟ ହୋଇଥିଲେ ।