ନୂଆଦିଲ୍ଲୀ: ଆମେରିକାରେ ଗୁଳିକାଣ୍ଡ । ଦୁଇ ଜଣ ଡେମୋକ୍ରାଟ୍ ନେତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଦୁଇ ଭିନ୍ନ ଗୁଳିକାଣ୍ଡରେ ଦୁଇ ଜଣ ସାଂସଦଙ୍କୁ ଟାର୍ଗେଟ କରାଯାଇଛି । ଗୋଟିଏ ଘଟଣାରେ, ମିନେସୋଟା ରାଜ୍ୟର ଡେମୋକ୍ରାଟ ସାଂସଦ ମେଲିସା ହର୍ଟମ୍ୟାନ୍ ଏବଂ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଛି ।
ଅନ୍ୟ ଘଟଣାରେ ସାଂସଦ ଜନ୍ ହଫମ୍ୟାନ୍ ଏବଂ ତାଙ୍କ ପତ୍ନୀ ୟିଭେଟ୍ ଗୁଳିମାଡ଼ରେ ଗୁରୁତ ହୋଇଛନ୍ତି । ଏହି ଦୁଇ ନେତା ଗୋଟିଏ ରାଜ୍ୟର ବୋଲି ଜଣାପଡ଼ିଛି । ରାଜ୍ୟପାଳ ଟିମ୍ ଓ୍ବାଲଜ୍ କହିଛନ୍ତି, ଏହି ଆକ୍ରମଣ ରାଜନୈତିକ ପ୍ରଣୋଦିତ ଥିଲା । ସେ କହିଛନ୍ତି, ‘ଆମ ସମସ୍ତଙ୍କୁ, ମିନେସୋଟା ଏବଂ ସାରା ଦେଶରେ ସମସ୍ତ ପ୍ରକାରର ରାଜନୈତିକ ହିଂସା ବିରୁଦ୍ଧରେ ଠିଆ ହେବାକୁ ପଡିବ। ଏଥିପାଇଁ ଦାୟୀ ଲୋକଙ୍କୁ ଦଣ୍ଡ ଦିଆଯିବ ।’
ହଫମ୍ୟାନ୍ ଜଣେ ଡେମୋକ୍ରାଟ୍ ନେତା ଏବଂ ସେ ପ୍ରଥମ ଥର ପାଇଁ ୨୦୧୨ ରେ ନିର୍ବାଚିତ ହୋଇଥିଲେ । ହଫମ୍ୟାନ୍ ଷ୍ଟ୍ରାଟେଜିକ୍ ଆଡଭାଇଜର୍ସ ନାମକ ଏକ ପରାମର୍ଶଦାତା ସଂସ୍ଥା ପରିଚାଳନା କରନ୍ତି । ସେ ପୂର୍ବରୁ ଆନୋକା ହେନେପିନ୍ ସ୍କୁଲ ବୋର୍ଡର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଏହା ମିନେସୋଟାର ସବୁଠାରୁ ବଡ଼ ସ୍କୁଲ । ହଫମ୍ୟାନ୍ ବିବାହିତ ଏବଂ ତାଙ୍କର ଜଣେ ଝିଅ ଅଛି।
ସେହଭଳି ହର୍ଟମ୍ୟାନ୍ ରାଜ୍ୟର ଜଣେ ବରିଷ୍ଠ ଡେମୋକ୍ରାଟିକ୍ ନେତ୍ରୀ ଏବଂ ପୂର୍ବତନ ବାଚସ୍ପତି ଥିଲେ। ସେ ପ୍ରଥମ ଥର ପାଇଁ ୨୦୦୪ ରେ ନିର୍ବାଚିତ ହୋଇଥିଲେ। ହଫମ୍ୟାନ୍ ଏବଂ ହର୍ଟମ୍ୟାନ୍ ଉଭୟ ମିନେପୋଲିସର ଉତ୍ତରରେ ଅବସ୍ଥିତ ଜିଲ୍ଲାଗୁଡ଼ିକର ପ୍ରତିନିଧିତ୍ୱ କରୁଥିଲେ।
ବ୍ୟୁରୋ ଅଫ୍ କ୍ରିମିନାଲ୍ ଆପ୍ରେହେନସନ୍ର ସୁପରିଣ୍ଟେଣ୍ଡେଣ୍ଟ୍ ଡ୍ରିଉ ଇଭାନ୍ସ କହିଛନ୍ତି ଯେ, କର୍ତ୍ତୃପକ୍ଷ ସନ୍ଦିଗ୍ଧଙ୍କୁ ଖୋଜୁଛନ୍ତି। ହର୍ଟମ୍ୟାନ୍ ଏବଂ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଗୁଳିମାଡ଼ରେ ହୋଇଥିବା ସ୍ପଷ୍ଟ ହୋଇଛି ।