ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି କାରଣରୁ ଇରାନ ଓମାନର ରାଜଧାନୀ ମସ୍କଟରେ ଆମେରିକା ସହିତ ହୋଇଥିବା ପରମାଣୁ ଆଲୋଚନାକୁ ବାତିଲ କରିଦେଇଛି। ଇରାନ ଏହି ଯୁଦ୍ଧ ପାଇଁ ସିଧାସଳଖ ଆମେରିକାକୁ ଦାୟୀ କରୁଛି। ଏହାରି ମଧ୍ୟରେ ରବିବାର (ଜୁନ୧୫,୨୦୨୫) ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ ଆସିଛି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦାବି କରିଛନ୍ତି ଯେ, ଇରାନ ଏବଂ ଇସ୍ରାଏଲ ଏକ ଚୁକ୍ତି କରିବା ଉଚିତ ଏବଂ ସେମାନେ ଏକ ଚୁକ୍ତି କରିବେ। ଯେପରି ମୁଁ ଭାରତ ଏବଂ ପାକିସ୍ତାନ ସହିତ କରିଥିଲି।
ଡୋନାଲ୍ଡ ଟ୍ରମ୍ପ୍ ଅନ୍ୟ ଦେଶର ଉଦାହରଣ ଦେଇ କହିଛନ୍ତି, ସର୍ବିଆ ଏବଂ କୋସୋଭୋ ଦଶନ୍ଧୀ ଧରି ପରଷ୍ପର ବିରୋଧୀ ଥିଲେ ଏବଂ ଏହି ଦୀର୍ଘକାଳୀନ ସଂଘର୍ଷ ଯୁଦ୍ଧରେ ପରିଣତ ହେବାକୁ ପ୍ରସ୍ତୁତ ଥିଲା। ମୁଁ ମୋର ପ୍ରଥମ କାର୍ଯ୍ୟକାଳରେ ଏହାକୁ ବନ୍ଦ କରିଦେଇଥିଲି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାଇଡେନ୍ କିଛି ଅତ୍ୟନ୍ତ ମୂର୍ଖତାପୂର୍ଣ୍ଣ ନିଷ୍ପତ୍ତି ନେଇ ଦୀର୍ଘକାଳୀନ ସମ୍ଭାବନାକୁ କ୍ଷତି ପହଞ୍ଚାଇଛନ୍ତି, କିନ୍ତୁ ମୁଁ ଏହାକୁ ପୁଣି ଥରେ ସଜାଡ଼ିବି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଇଜିପ୍ଟ ଏବଂ ଇଥିଓପିଆରେ ମଧ୍ୟ ଏକ ମାମଲା ଅଛି । ତାହା ମଧ୍ୟ ମୋର ହସ୍ତକ୍ଷେପ ଯୋଗୁଁ ବନ୍ଦ ହୋଇଛି । ଅତି କମରେ ବର୍ତ୍ତମାନ ପାଇଁ ଉଭୟଙ୍କ ମଧ୍ୟରେ ଶାନ୍ତି ଅଛି ଏବଂ ଭବିଷ୍ୟତରେ ମଧ୍ୟ ଏପରି ରହିବ।
ଟ୍ରମ୍ପ କହିଛନ୍ତି ଯେ, ସେହିପରି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଶୀଘ୍ର ଶାନ୍ତି ହେବ। ଇରାନ ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ଟ୍ରମ୍ପ କହିଛନ୍ତି ଯେ, ବର୍ତ୍ତମାନ ଅନେକ କଲ୍ ଏବଂ ବୈଠକ ହେଉଛି। ମୁଁ ବହୁତ କିଛି କରେ ଏବଂ କେବେ କୌଣସି ଜିନିଷର ଶ୍ରେୟ ନିଏନାହିଁ। ଏହା ଠିକ ଯେ, ଲୋକମାନେ ବୁଝୁଛନ୍ତି। ମଧ୍ୟପ୍ରାଚ୍ୟକୁ ପୁଣି ଥରେ ମହାନ କରିବାକୁ ସେ ଆହ୍ବାନ କରିଛନ୍ତି।